Unknown

 

 

 

 

 

 

 

 

 

ଜୟନ୍ତ-ଜୟପାଳ ସୁଆଙ୍ଗ

ଗଣକବି ବୈଷ୍ଣବ ପାଣି

 

[ପ୍ରସ୍ତାବନା]

[ହରି ହରି ବୋଲ ହରଷେ ରସିକ – ବୃତ୍ତେ]

 

ହରି ହରି ବୋଲ ହରିଭକ୍ତ ଜନେ ହରିନାମେ ପାପ ନାଶ ହେ ।ଉର୍‌ଦୁଭାଷାରୁ ଅନୁବାଦ ଏହା ମନଗଢ଼ା ଉପନ୍ୟାସ ହେ ।ପଦ। ଏ ଜୟନ୍ତ ଜୟପାଳର ଚରିତ, ଲୋକନେତ୍ରେ ହେବ ପ୍ରେମର ସରିତ । ଭଦ୍ରଦେଶେ ନରପତି ଚନ୍ଦ୍ରକାନ୍ତ ଜୟନ୍ତ ତାହାଙ୍କ ଶିଷ ହେ ।୧। ଗୁଣନିଧି ମନ୍ତ୍ରୀ ପୁତ୍ର ଜୟପାଳ, ଦୁହିଁଙ୍କର ନିତି ଥାଏ ଏକମେଳ । ଛଡ଼ାଛଡ଼ି ପାଶ ନୁହଁନ୍ତି ନିମିଷ ଏ ବଡ଼ ଅଭୁତ ରସ ହେ ।୨। ଦୁହିଁଙ୍କର ଭାବ ଭାଙ୍ଗିବ କେସନେ, ଭଦ୍ର ଅଧୀଶ୍ୱର ଭାବୁଛନ୍ତି ମନେ । ମନ୍ତ୍ରୀ ଡାକି ଦିନେ ପୁଚ୍ଛନ୍ତି ସଘନେ, ବଇ କହି ଏହି ରସ ହେ ।୩।

 

(ରାଜା ଓ ମନ୍ତ୍ରୀ ପ୍ରବେଶ – ଗୀତ)

[ଯେବେ ଏତେକଥା ଚିତ୍ତେ ଥିଲ – ବୂତ୍ତେ]

 

କରାଅ ତାକିତି ମନ୍ତ୍ରି ! (ତବ) ପୁତ୍ର ଜୟପାଳକୁ । କଳଙ୍କ ରଖିବ ନିଶ୍ଚେ ଜାଣ କାଳକାଳକୁ ।ପଦ। ଆମ୍ଭ ଜୟନ୍ତ ସହିତେ, ମଜ୍ଜିଥାଏ ଅବିରତେ । ହେଜି ଭାଷ ଆସି କେ ଛେଦିବ ମେଳକୁ ।୧। ଅଶନ ବସନ କ୍ରୀଡ଼ା, ଦଣ୍ଡେ ସେ ନୁହନ୍ତ ଛଡ଼ା । ଛାଡ଼ିଲେ ସେ ବିଦ୍ୟା ପଢ଼ା ମୋ ପୋଡ଼ା କପାଳକୁ ।୨। ଅସ୍ତ୍ରଶସ୍ତ୍ର ରାଜତନ୍ତ୍ର, ନ ଦେଖନ୍ତି ତିଳେ ମାତ୍ର । କି ମନ୍ତ୍ରେ କେ ଯୋଡ଼ିଲା ତାହାଙ୍କ ପ୍ରେମଡ଼ାଳକୁ ।୩। ପୂରିବ ମୋ କଳପଣା; ହେଲେ ତାଙ୍କ ସଙ୍ଗ ବଣା । ବଇ ବୋଲେ, କୋଳରେ ଦେଳାକ ବିହି କାଳକୁ ।୪।

 

(ମନ୍ତ୍ରୀ ରାଜା ପ୍ରତି – ଗୀତ)

[ନାଥ ଏହା ଜାଣିଲେ – ବୃତ୍ତେ]

 

ରୋଷ ତେଜ ନରେଶ, ନାହିଁ ଦୋଷ ମୋର ତହିଁରେ ଲେଶ ମାତର ବେନିଙ୍କର ସ୍ନେହ ଅଚ୍ଛିନ୍ନ ରହିଛି ଛେଦିବାକୁ କେ ତା ହେବ ପାତର ।ପଦ। କ୍ଷୀରନୀର ପରା ଅଭେଦ ପୀରତି କେ କାହା ପାଶୁ ନୁହନ୍ତି ଅନ୍ତର । ସେ ଭାବ ଅଭାବ, ମୋ ହାତେ ନ ହେବ, ଯେସନେ ଳୁହା ଚୁମ୍ବକ ପଥର ।୧। ଯେତେ ପଚାରନ୍ତେ ଉଚାରନ୍ତି ନାହିଁ ମନୋଭାବ ରଖି ଚିତ୍ତ ଭିତର । କିପାଁ ଚଉମଥା; ଭେଉଛି ଏ କଥା, ତୁଟିଲା ନାହିଁ ସେ କଲେ ସୂତର ।୨। ନାହିଁ ମୋ ଆପତ୍ତି, କାଟ ସେ ପ୍ରକୃତି, ଧରି ବିଚ୍ଛେଦ-କତୁରି ହାତର । ବଇଷ୍ଣବ କହି ଦ୍ୱାରୀକି ଡକାଇ ବତାଇବ ତାର ପ୍ରୀତି ଉତ୍ତାର ।୪।

 

(ଦ୍ୱାରୀ ବାହାରିବା –ଗୀତ)

[କି ଯୋଗେ ଅଇଲି ମୁହିଁ ମଲିକତାରେ – ବୃତ୍ତେ]

 

କରିବି ମୁଁ ଦେଶକାମ ଛାଡ଼ି ଚାକିରି ରେ । ଭାଇଙ୍କ ପାଇଁ ପଛକେ ହେବି ବିକିରି ରେ ।ପଦ। ବୁଢ଼ା ହେଲି ଖଟି ଖଟି, ଥରିଲାଣି ଓଠ ପାଟି, ଯେଉଁ ଫକୀର କି ଆଜି ସେହି ଫକୀରି ରେ ।୧। ଅଜାତିଙ୍କ ଜୋତା ବୋହି, ନ ପାରିବ ଆଉ ଭାଇ, ଜୀବନ ପୋଷିବି ପଛେ ରଖି ବକିରୀ ରେ ।୨। ମୋ ପରି କେତେ ବଗଡ଼, ମାରୁଛନ୍ତି ମୁହଁତୋଡ଼, ନାହିଁ ନିମକହରାମ ତାହାଙ୍କ ପରି ରେ ।୩। ଯା’ର ହୋଇବ ଚାକର, ମାନିବ ନିମକ ତାର । ବିଶ୍ୱାସଘାତକ ହେଲେ ବଇ ବଇରି ରେ ।

 

ରାଜା

-

କହ ରେ ଡଗର, କେଣେ ଅଛି ସେ ଜୟନ୍ତ ?

ଡଗର

-

ଯାଇଛନ୍ତି ବୁଲି ଜୟପାଳଙ୍କ ସହିତ ।

ରାଜା

-

କହ କେ ଛାଡ଼ିବ ଯେତେ ଖୁଆଇଲେ ଜଡ଼ି ।

ରାଜା

-

କେ ଜାଣନ୍ତି ସେ ଉପାୟ ଡାକିଆଣ ତାଙ୍କୁ ।

ଡଗର

-

କେଳାମାନଙ୍କୁ ହକାରି ଆଣେ ମୁଁ ଛାମୁକୁ ।

 

(କେଳାମାନଙ୍କ ପ୍ରବେଶ – ଗୀତ)

[ଗାଅ ଗାଅ ଖାଅ ଖାଅ ଆନନ୍ଦେ – ବୃତ୍ତେ]

 

କାହିଁକି ଡାକିଲୁ ରଜା, ବେଗେ ବେଗେ ବତା ରେ । କିଛି କିଛି କାନରେ ପଡ଼ିଛି ତୋର କଥା ରେ ।ପଦ। ଫୁଙ୍କି ଦେଲେ ଝୁଙ୍କିଥିବେ କୋଟିଏ ଦେବତା ରେ । ଠୁଁକିଦେବୁଁ ଏକଥରେ ପକାଇଣୁ ଯଥା ରେ ।୧। କାଉଁରୀ ଦେଶର ପଦ ଏମନ୍ତ କ୍ଷମତା ରେ ବାନ୍ଧିପାରୁ ମତ୍ତହାତୀ ଶିଆରିର ଲତା ରେ ।୨। ଚାହିଁଦେଲେ ସିଂହ ବାଘ ହୋଇଯିବେ କୁତା ରେ । ସତ୍ୟରେ ବଇ ରଚେ ଏ କବିତା ରେ ।୩।

 

ରଜା

-

କେଳାମାନେ, ତୁମ୍ଭେ ଆମ୍ଭ ପୁତ୍ର ଜୟନ୍ତକୁ ଜୟପାଳର ସାଙ୍ଗ ଛଡ଼ାଇ ଦେଇ ପାରିବ କି ? ତାହାହେଲେ ଅନେକ ଧନ ପୁରସ୍କାର ପାଇବ।

କେଳା

-

ଆରେ ରଜା, ସେ ଟୋକାଙ୍କର କାନି କାଟିଆନି ଦେ ରେ, ବିଷବଳିତା କରି ଜାଳିଦେବୁଁ କେହି ଜାନିପାରିବେ ନାହିଁ; ଭାବ ଭାଙ୍ଗିଯିବ ଜାନୁ ।

ରାଜା

-

ଯା’ ରେ ଦୂତ, ଏମାନଙ୍କୁ ନେଇ ଯା; ଏମାନେ ଯାହା ମାଗିବେ ତାହା ହାଜର କରାଇବୁ । ପରେ ଯାହା ହବ ମୋ ଆଗେ ଖବର କହିବୁ ।

 

 

(ରାଜା ଭିନ୍ନ ସମସ୍ତେ ପ୍ରସ୍ଥାନ)

 

ଦୂତର ପୁନଃ ପ୍ରବେଶ

[ମୋତେ ପଠାଇଲେ ତୁମ୍ଭ ପାଟରାଣୀ – ବୃତ୍ତେ]

 

ପଦ କାଟୁନାହିଁ, ପଟୁ ଯେତେ କଲେ ମନ ଫିଟୁନାହିଁ ।ପଦ। ମାରିବାକୁ ପଟି ଆସିଥିଲେ ଏଠି, ହାରିଗଲେ କଷ୍ଟ ମେଣ୍ଟୁନାହିଁ ।୧। ବାହାସ୍ଫୋଟ ମାରି, ଥିଲେ ଆଣ୍ଟକରି, ଏ ମାମଲା ଗଣ୍ଠି ଫିଟୁନାହିଁ ।୨। କେଳା ଖାଏ ଠକି, ରାଜା ଖାଏ ଫାଙ୍କି, ବଇ ବୋଲେ ସେ ତ ଯୁଟୁ ନାହିଁ ।୩।

 

ରାଜା

-

ମନ୍ତ୍ରି, ଦୂତ ହାତେ ଦୁହିଁଙ୍କି ଏଠାକୁ ଡକାଇବା ।

ଡଗର

-

ଯେ ଆଜ୍ଞା !

 

(ଜୟନ୍ତ ଜୟପାଳର ପ୍ରବେଶ; ରାଜାର ଗୀତ)

 

ମାନିବ କି ମୋ ବଚନ କହିଲୁ ଜୟନ୍ତ ରେ । ନ ହେବୁ ତୁ ସଙ୍ଗ ମନ୍ତ୍ରୀସୁତର ସହିତ ରେ-।ପଦ। ଏହିତା କଥାକୁ ଯେବେ ମଣୁ ତ ଅହିତା ରେ । କି ହେବ ବୁଝାଇ ତୋତେ ବୃଥା ଏ ଦାୟିତ୍ୱ ରେ ।୧। ଅସମାନ ଜନେ ତୁ ହୋଇଲୁ ମୋହିତ ରେ । ହେବ ମାନହାନି ଲଜ୍ଜା ନ ହେବ ସେ ହିତ ରେ ।୨। କାଟିଲେ ସେ ମାୟାଜାଲ, ନିଶ୍ଚେ ହେବ, ହିତରେ । ପଢ଼, ବଇ ଭାଷୈ, ଘୋଷୈ ବିଜ୍ଞାନ ସାହିତ୍ୟ ରେ ।୩।

 

ଜୟନ୍ତ

-

କହ ପିତଃ,

 

 

ଭାଙ୍ଗିବାକୁ ଏଡ଼େ ନିର୍ମଳ ପ୍ରେମ ତବ ଏତେ ଯତ୍ନ କିପାଁ ?

 

 

କରିନାହୁଁ ମିଳି ବେନି ଅନିଷ୍ଟ ପ୍ରବଞ୍ଚନା କାହିଁ,

 

 

ଜାଠ ସ୍ପଷ୍ଟ ବ୍ୟବହାର;

 

 

ଧରୁଛି ଚରଣ ତାତ ନ କର ବାରଣ,

 

 

ଯାଉଛି ମୈତ୍ର ତୁଲେ, ତାହାଙ୍କ ବାସକୁ ।

 

 

(ଉଭୟ ପ୍ରସ୍ଥାନ)

ମନ୍ତ୍ରୀ ସହ ପୁତ୍ରର ପ୍ରବେଶ – ଗୀତ

[ହେ ଅବନୀପତି – ବୃତ୍ତେ]

ବାପ ଜୟପାଳ ଯେବେ ନ କରୁ ଆପତ୍ତି । ଶୁଣିଛୁ ତଯା ଆଦେଶ ଦେଲା ନରପତି । ଭଲଗତି ଥିଲେ ରେ । ନୁହ ସାଥି ରାଜସୁତ ତୁଲେ ରେ ।୧। ନଦୀ ନକ୍ଷୀ ଶୃଙ୍ଗୀ ଶସ୍ତ୍ରଧାରୀ ନାରୀଜାତି । ରାଜା ଅବୁଝା ଏ ଷଡ଼ଜଣେ ନାନା ପ୍ରୀତି । ଅବିଶ୍ୱାସୀ ଅହିତ ମୋହର । ନିଶ୍ଚୟ ଘଟିବ କାଳେ ମରଣ ତୋହର । ବଇ ଭାଷେ ଗୀତେ ରେ । ବିଷ କାହିଁ ମିଶିବ ଅମୃତେ ରେ ।୩।

ଜୟପାଳର ଉତ୍ତର – ଗୀତ

[ଦିଅ ଦିଅ ନନ୍ଦରାଣୀ ଗୋ ଆଣି – ବୃତ୍ତେ]

ତାତ ମୋତେ କହିଲ ଯାହା, ଜୀବ ଥାଉଁ କେଭେ ନ ହେବ ଏହା । ଭାବ ବସି ତିଳେ ଲାଭ ହାନି ବଳେ ଜଣାପଡ଼ିଯିବ ଦିଶିବ ରାହା ।ପଦ। ଦୁହେଁ ସ୍ୱଚ୍ଛ ସୂତାରେ ବନ୍ଧା, ହେଲେ ହେଉ ପଛକେ ନିନ୍ଦା । ବଜ୍ରନାଦେ ଡରି ମହୀ ତେଜି ଗିରି ପଳାଇଛି କାହିଁ ଦେଖିଛ ଏହା ।୧। ହୀରା କାହିଁ ଛାଡ଼ି କୌନୂର, ହୋଇ ରହିଅଛି ଅନ୍ତର, ବେନିଙ୍କର ଭାବ, ତେମନ୍ତ ଘେନିବ, ଆଉ ଦେଖ ଯେହ୍ନେ, ଚୂମ୍ବକ ଲୁହା ।୨। ଶରଧାରେ ବାଧା ଦିଅନା, ମନେ ଘେନ କ୍ରୋଧ ବହନା । ବଇ ଯୋଡ଼େ ପଦ, ସେହି ଦ୍ୱାର ରୁଦ୍ଧ କରଣେ ବଳିବ କାହାର ହିଆ ।୩।

(ଉଭୟ ପସ୍ଥାନ)

ରାଜା ଦୂତକୁ ଆଦେଶ ଦେବା – ଗୀତ

[ଜୟ ରଘୁନାଥ – ବୃତ୍ତେ]

ଯାଅ ଦୂତେ ମିଳି ଘେନି ସ୍ୱର୍ଣ୍ଣଥାଳ ଦିଅ ରାଜ୍ୟରେ । ଯେ ଏହାକୁ ନେବ ଦୁହିଁଙ୍କର ଭାବ ଭାଙ୍ଗିଣ ଦେବ ସଜରେ । ଏହାପରେ କେତେ, ପୁରସ୍କାର ଦେବି ମୋର ହାତେ ।୧। ମୂଲ୍ୟ ଲକ୍ଷେ ଟଙ୍କାଠାରୁ ଅଧିକା ନୋହିବ ସେ ଥାଳି ଜାଣ ଖରେ । ବଜାଇ ବାଜଣା ଠାବେଠାବେ ଜଣା ଯେ ଧରିବ ତାକୁ ଆସି କରେ; ଜାଣ ନିଶ୍ଚେ ଆସି । କାଟିଦେବ ଦମ୍ଭ ପୂର୍ବ ଫାଶି ।୨। ଅବିଳମ୍ବେ ଥାଳି ଘେନି ହାତେ ସାଥେ ସାଥେ ଏଣୁ ଯାଅ ଚଳି । ଅଣାଅ ମୋ ପାଶ ବଇଷ୍ଣବ ଭାଷ ନ ସରେ ଦିବସ ନିଶିଭାଳି, ଦୁହିଁଙ୍କର କଥା, ଜାଳିଦିଏ ହୃଦ ଯେହ୍ନେ ଚିତା ।୩।

ରାଜାଦେଶେ ଦୂତେ ନାଗରାଦେବା ଓ ବେଶ୍ୟାଗଣ ଗୀତ ଗାଇ ପ୍ରବେଶ

[ଆଜି ଜନନି ଗୋ ତୋର କୋଳୁଁ – ବୃତ୍ତେ]

ଶୁଣ ସଜନୀ ଗୋ, ବାଜୁଅଛି ବାଜଣା ଦାଣ୍ଡେ । ଜଣାଯାଉ ନାହିଁ ରାଜାଦୂତେ ଡାକୁଛନ୍ତି ତୁଣ୍ଡେ ।ପଦ। ଯେ ଜୟନ୍ତ ଜୟପାଳ, ମଧ୍ୟେ କରିବ ଅମେଳ, ଲକ୍ଷେ ଟଙ୍କାର କାଞ୍ଚନ ରଙ୍ଗ ତା ଲଭିବ ଚାଣ୍ଡେ ।୧। କେତେକେତେ ନରନାରୀ ନିରେଖନ୍ତି ଧାରି ଧାରି, ବଳୁନାହିଁ କି ସାହସ ଭାର ବହିବାକୁ ମୁଣ୍ଡେ ।୨। ଚାଲ ସଙ୍ଗ ହୋଇ ଯିବା, ସେହି ରଙ୍ଗ ଭାଙ୍ଗିଦେବା ମନବେଗ ମେଣ୍ଟାଇବା ବଇ କହି ଭାଷ ଭାଣ୍ଡେ ।୩।

ଥାଳି ଘେନି ରାଜା ପାଶେ ପ୍ରବେଶ

(ବେଶ୍ୟାଙ୍କ ଗୀତ)

ଭାଙ୍ଗିଦେବୁଁ ସଙ୍ଗ, କଲୁ ଅଙ୍ଗୀକାର, ନେଇ ଏ କାଞ୍ଚନ ପାତ୍ରକୁ ହେ । ଅନାଇଣ ମନ ମନାଇ ନେବୁଟି ତେରଛାଇ ଆମ୍ଭ ନେତ୍ରକୁ ହେ ।୧। ନାସାଫୁଲା ଚାହିଁ ଯିବ ଉଡ଼ି ହଂସା ଦେଖି କମନୀୟ ଗାତ୍ରକୁ ହେ । ଇଙ୍ଗିତେ ସଙ୍ଗୀତେ ମୋହିପାରୁ ହେଳେ ଜାଣୁ ମନଭଙ୍ଗା ସୂତ୍ରକୁ ହେ ।୨। ପାଶେ ଥିଲା ଯାକେ ସେବୁଁ ଦାସୀପରି, କେତେ କେତେ ରାଜପୁତ୍ରଙ୍କୁ ହେ। ଆଡ଼ ହେଲେ ଲେଶ ମାସକରେ ଥରେ ନ ଆଣୁ ହୃଦୟ କ୍ଷେତ୍ରକୁ ହେ ।୩। ଯେ ଆମ୍ଭ ପ୍ରେମରେ ଜଡ଼ିବ ଭ୍ରମରେ ପୋଡ଼ିବୁ ତା ରାଜଛତ୍ରକୁ ହେ । ବଇଷ୍ଣବ ଭଣି ଶିଖିଅଛୁଁ ପୁଣି ପୁରୁଷମାରଣୀ ମନ୍ତ୍ରକୁ ହେ ।୪।

ରାଜା

-

ବେଶ୍ୟଗଣେ, ତୁମ୍ଭେ ଏ ସୁବର୍ଣ୍ଣ ଥାଳିପାତ୍ର ଘେନି ଜୟନ୍ତ ଜୟପାଳର ପ୍ରମୋଦ ଆଳକୁ ଚଳ, କଥାକୁ କାର୍ଯ୍ୟରେ ଧାର୍ଯ୍ୟ କଲେ ଅଶେଷ ପୁରସ୍କାରରର ଭାଜନ ହେବ ।

ବେଶ୍ୟା

-

ଯେ ଆଜ୍ଞା !

ବେଶ୍ୟାଗଣ ଜୟନ୍ତ ଜୟପାଳ ବାସ ପ୍ରବେଶ; ରାଜପୁତ୍ର ଓ ମନ୍ତ୍ରିପୁତ୍ର – ଗୀତ

(କୀର୍ତ୍ତନ ସୁର)

ବାରେ ବାରଙ୍ଗନେ ଆସ ଗୋ ଭବନେ କରିବା ଆମୋଦପ୍ରମୋଦ ମିଳି । କର ନୃତ୍ୟଗୀତ ହର ଆମ୍ଭ ଚିତ୍ତ ସୁସ୍ୱରକୁ କର୍ଣ୍ଣେ ଦିଅ ଗୋ ଢାଳି ।ପଦ। ଟେକି ଉଚ୍ଚ କୁଚ ଦୂରୁ ଫେରି ନାଚ ଚାହାଁ ବେନି ବାହା ଊର୍ଦ୍ଧ୍ୱକୁ ତୋଳି । ଗୋଳାପଣାଛଣା ସେ ବଚନବୀଣା, ବଜାଇ ମଜାଇ ମାର ଗୋ ତାଳି ।୧। କଳିବାକୁ ତୁମ୍ଭ ଗୁଣ ଗଉରବ ମୋହିବ କେ ଅଛି କହ ସେଭଳି । ଦୋହଲାଇ କଟି କୁଟିଳକୁନ୍ତଳା ଯତି-ମତି-ଧୃତି ପକାଅ ଦଳି ।୨। ଉଡ଼ାଅ ପଣନ୍ତ ଯେହ୍ନେ ମାର ନେତ୍ର ଜଡ଼ାଉରେ ଊର ଯାଉ ସେ ଝଳି । ତୁଳିତଳପରେ ଚାଟୁ ଗଳପରେ ପହୁ ରାତି ବଇ ଏ ରସେ ଭାଳି-।୩।

ବେଶ୍ୟାଗଣ ନୃତ୍ୟସହ – ଗୀତ

[ନାଚ ଗୋ ସୁନ୍ଦରୀ ନବଅପସରୀ – ବୃତ୍ତେ]

ହେ ରସିକବର ରସର ହସ ନହିଁ କିପାଁ ମୁଖରେ ।ପଦ। ତୁଟିଛି ସୁରସ ଳୁଟିଲା ପରାଏ ମନ ଯାଉଁ କେଉଁ ପାଖରେ । ଚାଖିଛି କେ ମଧୁ ଅଧର ମଧ୍ୟରୁ ସେ ସୁଧା ମୟୂଖ ଟେକରେ ।୧। ଶଙ୍କା ତେଜି ଚିତ୍ତୁ ଚତୁରରତନ ପ୍ରତିଦାନ ଦିଅ ରଙ୍କରେ । ବଇଷ୍ଣବ ଗିର, କଷ୍ଟ ନଷ୍ଟ କର ତେରଛେ ଅନା ନିଃଶଙ୍କରେ ।୨।

ବେଶ୍ୟାଗଣ ପୁରସ୍କାର ପାଇଁ ଉଦ୍ୟତ

ବେଶ୍ୟା

-

ଯୁବରାଜ ! ଯାଉଁଅଛୁ ଆମ୍ଭେ ଥାଅ ବେନି ସଖା ।ଆଉ କେତେଦିନେ ହେବ ତୁମ୍ଭ ଆମ୍ଭ ଦେଖା । ହେ ମନ୍ତ୍ରୀକୁମର, ଆମ୍ଭ ସଙ୍ଗେ ସଙ୍ଗେ ଆସ କିଛି ଦୂର । କହି ଯିବୁଁ ପଥେ ଆମ୍ଭେ ଯାହା, ନ କହିବ କାହା ପାଶେ ତାହା ।

ଜୟପାଳ

-

ଥାଅ ସଖା,ଆସେ ଶୁଣି ମୁହିଁ ।

ବେଶ୍ୟା

-

(ଜୟପାଳ କର୍ଣ୍ଣେ କହିବା) କିପାଁ ଆସ, ଆଉ କଥା କିଛି ନାହିଁ ।

ଜୟନ୍ତ

-

କି କହିଲେ ବେଶ୍ୟା, ସଖା ମୋତେ ଭାଷ ବେଗକରି ।

ଜୟପାଳ

-

ନ କହିଣ କିଛି ଭଣ୍ଡିଦେଲେ ବାରନାରୀ ।

ଜୟନ୍ତ

-

ହୋଇ ଏକଆତ୍ମା ଆଜି କରିଲ କପଟ ।

ଜୟପାଳ

-

ବୃଥା କଥାରେ କି ହେତୁ ଲଗାଇଛ ହଟ ।

ଜୟନ୍ତ

-

ହଉ ତୁମ୍ଭ କଥା ଗଲା ଜଣା ।

ଜୟପାଳ

-

ସବୁ ଜାଣିଶୁଣି ପୁଣି ହେଉଛ ଅଜଣା ।

 

 

(ଉଭୟ ପ୍ରସ୍ଥାନ)

ରାଜପୁତ୍ର କ୍ରୋଧେ ଭୂମିଶଯ୍ୟାରେ ଶାୟିତ ଦେଖି ରାଣୀର ଗୀତ

[କାହିଁ ପାଇଁ ଭାଇ ମସ୍ତକ – ବୃତ୍ତେ]

ମୋ ଦୁଃଖପସରା ଦୁଃଖୀସରା ଧରାରେ ଶୋଇଛୁ ରେ । କଳପ କଳପ ତଳପ ରହିଛି ଏ ଦଶା ସହୁଛୁ ରେ ।ପଦ। ଦେଲା ଅପମାନ ତୋତେ କେଉଁ ଜନ ଫେଇ ନ କହୁଛୁ ରେ । ଘନଘନ ଝାଳ ବହି ତିନ୍ତେ ତଳ ପୋଛି ନ ଦେଉଛୁ ରେ ।୧। ଫିଟୁନାହିଁ ତୁଣ୍ଡ ଏ ତ କେଉଁ କାଣ୍ଡ ଏ ଦଣ୍ଡ ପାଉଛୁ ରେ । କେଉଁ ଦୁରୁଦଣ୍ଡ ଦେଲା ସେ କେ ଭାଣ୍ଡ ମୁଣ୍ଡ ରେ ବହୁଛୁ ରେ ।୨। ଉଠି କହ ଧନ, ମେଣ୍ଟାଇବି ମାନ କଳଙ୍କ ଥୋଉଛୁ ରେ । ଭାଷେ ବଇଷ୍ଣବ, କାଳ ନ ରହିବ ଶାନ୍ତ ଯା ନୋହୁଛୁ ରେ-।୩।

ରାଜା ପ୍ରତି ରାଣୀର ଗୀତ

[କେଣେ ଅଛୁ ଶୁଣା ତୋ – ବୃତ୍ତେ]

ଦେଖିଆସ ନାଥ ହେ, କାହିଁପାଇଁ ଏତେ ଦଣ୍ଡ ଲଭେ ଜୟନ୍ତ ।ପଦ। କାରଣ ତା ବୁଝ ବହନ, ବାରଣ ନକରିଣ ଧନ କର ନିବାରଣ ତା ହୃଦୟ ଜ୍ୱାଳା ହେଳାରେ ପରାଣ ତେଜିବ ସୁତ ।୧। ଦିନେ ଦେଖି ନ ଥିଲି ଏହା, ପିଲାକାଳୁ ପରାଣନାହା କହିଲା କେ କିସ ଆଣ ତା ସନ୍ଦେଶ ଦେଖିବ ତା ପ୍ରତିଉତ୍ତାର ପଥ ।୨। ଚାଲ ନାଥ ମମ ସହିତେ, କୁମରକୁ ଦେଖିବ ନେତ୍ରେ । ବଇଷ୍ଣବ ଭାଳି, ଯାଇଛି ମଉଳି ରବିକରେ ଯେହ୍ନେ କୋମଳ ପତ୍ର ।୩।

ରାଜା ଜୟନ୍ତ ନିକଟରେ ପ୍ରବେଶ

ରାଜା

-

କହ ରେ କୁମର ଏ କି ରୀତି ତୋର ଆଜି ?

ଜୟନ୍ତ

-

କହିବି ଯେବେ ପିଅର ରଖିବ ଅରଜି ।୧।

ରାଜା

-

ନିଶ୍ଚୟ ତୋ ଦୁଃଖ ଦଶା କରାଇବି ଦୂର ।

ଜୟନ୍ତ

-

ହାଣିଆଣି ଦେବେ ମୋତେ ଜୟପାଳ ଶିର ।୨।

ରାଜା

-

ଜୀବର ଜୀବନ ପରା ମିତ୍ର ଜୟପାଳ ?

ଜୟନ୍ତ

-

କି କହିବି ତାତ ସର୍ବ ହୋଇଛି ବିଫଳ ।୩।

ରାଜା

-

ଏ ଛାର କଥାକୁ ବାପ ଏତେ କରୁ ଚିନ୍ତା ?

ଜୟନ୍ତ

 

ତାହା ନ କରିଲେ କେଭେ ନ ବଞ୍ଚିବି ପିତା ।୪।

ମନ୍ତ୍ରୀପାଶେ ରାଜାର ପ୍ରବେଶ – ଗୀତ

[ଜୟ ପ୍ରତାପୀ ମତ୍ସ ନରେଶ – ବୃତ୍ତେ]

ଚାଣ୍ଡେ ଯାଅ ଯାଅ ମନ୍ତ୍ରିବର, ମୋର ବଚନେ ହୁଅ ଅନ୍ତର ।ପଦ। ବେନିକଣ୍ଡ କରି କାଟିବାକୁ ଯୁବରାଜ; କହିଛନ୍ତି ତବ ପୁତ୍ର ଶିରଗୋଟି ଆଜ, କଉଶଳେ ଜୀବ ରଖ ତାର ।୧। ସନ୍ନ୍ୟାସୀର ବେଶେ ଏ ଦେଶରୁ ବେଗେ ଯାଉ । ରହିଲେ ପରାଣ କେଭେ ନ ରହିବ ଆଉ । କାର୍ଯ୍ୟ ପଣ୍ଡ ହୋଇନାହିଁ ମୋର ।୨। ଧନ୍ୟ ଧନ୍ୟ ବାରଙ୍ଗନା ଭାଙ୍ଗିଲେ ଯେ ଭାବ, ଆନ ଜନ ଦ୍ୱାରା ତାହା ହୋଇ ନ ପାରିବ । ମନେ ସନ୍ଦେହ ତିଳେ ନ ଧର ।୩। ବହୁ କଳାଗତେ ସୁତ ଫେରୁ ଏ ଦେଶକୁ । ଯେତେଦିନ ଯୁବରାଜ ଭୁଲିବେ ରୋଷକୁ । ଏହା ବିପ୍ର ବଇଷ୍ଣବ ଗିର ।୪।

ମନ୍ତ୍ରୀ ପୁତ୍ରପାଶେ ପ୍ରବେଶ – ଗୀତ

[କି ଭାବନା କର ପାଞ୍ଚଜଣ – ବୃତ୍ତେ]

କପାଳ ପଡ଼ିଲା ଜୟପାଳ ତୋର ଏତେଦିନ ।ପଦ। ରାଜପୁତ୍ର ସଙ୍ଗେ ମେଳ, ହେଲୁ ତାର ଭୋଗ ଫଳ । ହିତବାଣୀ ନ ଶୁଣିଲୁ କାଳେ ।୧। କରିଲେ ରାଜା ବ୍ୟବସ୍ଥା, କାଟିବା ପାଇଁ ତୋ ମଥା । ଘେନି ପ୍ରାଣ ପଶ ଯା ଗହନେ ।୨। ତିଳେ ନ ରହି ଏ ଦେଶେ; ଚଳିଯା ସନ୍ନ୍ୟାସ ବେଶେ । ମଣ୍ଡି ଅଙ୍ଗ ବଳକଳ ବସନେ ।୩। ଯୁବରାଜଙ୍କ ପାଶରେ, ନ ଯା ତୁ ଆଉ ଥରେ । ବଇ ଭାଷ, କିସ ପାଞ୍ଚ ମନେ ।୪।

ଜୟପାଳ

-

ଷିତା, ତେବେ ମୁଁ ଜଟା କୌପନୀ ଧାରଣ କରି ବିଦାୟ ନେଉଛି, ଜୀବିତରେ ଥିଲେ ପୁନଃ ସାକ୍ଷାତ ହେବ ।

 

 

(ମନ୍ତ୍ରୀର ପ୍ରସ୍ଥାନ)

ଜୟପାଳ ଯୋଗୀବେଶ ପଥେ ଯାଉ – ଗୀତ

[ଆସ ଆସ ଗୋ ଛଇଳୀ – ବୃତ୍ତେ]

କେଉଁ ଦୋଷ କଲି ସଖା, ଏଡ଼େ ରୋଷ ବହିଲ ମୋଠାରେ । ଲାଖିଥିଲା ମନ ଯେହ୍ନେ ଲାଖଇ ପକ୍ଷୀ ଅଠାରେ ।ପଦ। ଲଗାଇ ପ୍ରେମପାଦପ ଛେଦିଦେଲ ବିଚ୍ଛେଦ କୁଠାରେ । ହେଲେ ପର ଆପଣାର ଆଜ ମରୁ ତ ଥାନ୍ତା ମୁଠାରେ ।୨। ଶୟନ ସ୍ନାନ ଭୋଜନ ବେନି କରୁଥିଲେ ଏକାଠାରେ’ କିପାଁ ତବ ମନମୃଗ ଛନ୍ଦି ବନ୍ଦି ସେ ହେଲା ଲଟାରେ ।୨। ବିନା ଅପରାଧେ ସିନା ମୋତେ ଫିଙ୍ଗିଲି ଶିରକଟାରେ । ବଇଷ୍ଣବ ବୋଲେ, ଜୟ ନିଶ୍ଚେ ଲେଖା ମୋ ଭାଲପଟରେ ।୩।

(ପ୍ରସ୍ଥାନ)

ରାଜା ଜୟନ୍ତପ୍ରତି – ଗୀତ

[ମହିଷାସୁରକୁ ଆା – ବୃତ୍ତେ]

ନନ୍ଦନ ରେ, ଶ୍ୱଶୁର-ସଦନେ ଚଳ । ଆସିଅଛି ନିମନ୍ତ୍ରଣ କରନାହିଁ ହେଳ ।ପଦ। ହେଲା ଅନେକ ଦିବସ, ଯାଇନାହୁଁ ବନ୍ଧୁବାସ । ଆସଛନ୍ତି କରୁ ତୁଟାଇବେ ହୃଦୁ ଗୋଳ ।୧। ସହୃଦତା ରଖ ବାପ, ଦୂର ହେବ ମନସ୍ତାପ । ନ ସ୍ଥାପି ଆପତ୍ତି ବହିଯାଛଅଛି ବେଳ ।୨। ଫେରିବୁ ଅଳପ ଦିନେ, କଳ୍ପନା ନ ବାଞ୍ଛି ମନେ । ବଇଷ୍ଣବ ବୋଲେ, ତୁହି ଆମ୍ଭର ସମ୍ବଳ ।୩।

ଜୟନ୍ତର ଶ୍ୱଶୁର ଗୃହକୁ ଅଗମନ ପଥେ ନୁଚିନ୍ତା

[ଜୟ ହଂସାରୂଢ଼ ବୃତ୍ତେ]

କନକବରନା ଅନେକ ଦିନରୁ ଦେଖିନାହିଁ ମୋତେ ଆଖିରେ । ଜନକ ସଦନେ ମନକଥା ଧନେ କେସନେ କହିବି ଡାକି ରେ ।ପଦ। ସଖାସଙ୍ଗେ ମିଳି କଟାଇଛି ଆଳେ, କଳକଣ୍ଠୀ ତ ଧରିନାହିଁ କୋଳେ । ଲଳିତନେତ୍ରାର ଭାବ କଳିବାକୁ ଭାଜନ ହୋଇବି ମୁଁ କି ରେ ।୧। ଟଳିଯାଇଥିବ ଅଧରର ରଙ୍ଗ, ଭଳିଯାଇଥିବ ସଙ୍ଗିନୀ ମୋ ସଙ୍ଗ । ଅଙ୍ଗନା–ସୁନାକୁ ଟାଙ୍କଣ–ପୁରୁଷ ତରଳେ ତା ନେତ୍ର ଦେଖି ରେ ।୨। ପ୍ରୀତି ଶେଷେ କୋଳେ ବସାଇ ବନ୍ଧୁଙ୍କୁ, ଅନାଇବି ତାର ଲପନ ଇନ୍ଦୁକୁ । ମନାଇବି ମନେ ବ୍ୟଜନ-ପବନେ ଭାଷେ ବଇଷ୍ଣବ ଦୁଃଖୀ ରେ ।୪।

(ଜୟନ୍ତର ପ୍ରସ୍ଥାନ)

ଜୟପାଳର ପ୍ରବେଶ – ଗୀତ

[ନିଅ ବନମାଳ ମହାମତି ଚଳ – ବୃତ୍ତେ]

ଅଛି ମିତ୍ର ମୋର ଶ୍ୱଶୁର-ବାସରେ ଯାଇ ସେ ଦେଶରେ ବୁଲିବି ରେ । ତାର ଗତିପଥେ ଅନୁସରି ନିତ୍ୟେ ସଂସାରଯାତନା ଭୁଲିବି ରେ ।ପଦ। ମିତ୍ର ପଦଧୂଳି ଗାତ୍ରେ ହୋଇ ବୋଳି ମନ୍ତ୍ର କରି ତା ନାଁ ବୁଲିବି ରେ । କଲେ କଲା ପର ଚିନ୍ତା ନାହିଁ ମୋର ମନ ଭାବ ଦିନେ ଖୋଲିବି ରେ ।୧। ଭାବି ଭାବି ଭାବ ଗଲେ ଜୀବ ଯିବ ଜୀବଧବପୁର ଚାଲିବି ରେ । ବଇଷ୍ଣବ ଭାଳେ, ଏ କଳଙ୍କ କାଳେ ଗଳେ କର ଦେଇ ଠେଲିବି ରେ ।୨। ଜୟପାଳ–ଆଜି ଏଠାରେ ବସେ । ମୁଁ ଯେପରି ଛଦ୍ମବେଶ ଧରିଛି ମୋତେ କେହି ସହଜେ ଚିହ୍ନି ନ ପାରନ୍ତି । ଏହି ଭୋଜଜେମାର ପୁଷ୍ପ ବଗିଚା । ଏହା ନିକଟରେ ମୋର ମିତ୍ରର ଶୟନକକ୍ଷ । ଏଠାରେ ବସି ମିତ୍ରର ରାଜଜେମା ସହ ପ୍ରେମ ଭାଷଣ ସମସ୍ତ ଶୁଣିବି ।

ଜେମା ପାଶେ ରାଜପୁତ୍ରର ପ୍ରବେଶ – ଗୀତ

[ଶୁଣି କଶ୍ୟପ ତନୁଜରେ ଦନୁଜ – ବୃତ୍ତେ]

ଧନ ବସିଛି ଅନାଇଁ ରେ, କାନ ଡେରି ତୋ ପାହୁଡ଼ ନାଦେ । ବାହୁଡ଼ା ମନୁ ପୂରବରୁ ଖେଦ ରମ୍ଭା ଜାନୁ ଅନୁରୋଧେ ।ପଦ। ବନ ତେଜି ମୀନ ଆନେ କି ମଜ୍ଜିମ ଜୀବନ ବନ୍ଧା ଏ ପଦେ-। ପହୁଡ଼ ମୋ ଅଙ୍କ-ପଲଙ୍କେ ନିଃଶଙ୍କେ ହସି ଭାଷି କଥାପଦେ ।୧। ପଳାଉ ମୋ କ୍ଲେଶ ନିଶା ଯୋଷାମଣି କରା ସ୍ନେହଭାନୁ ଉଦେ । ବିକଶୁ ଏ ହୃଦପଙ୍କଜ ଉଲ୍ଲାସେ ଘୋଟୁ ଜଗତ ସୁଗନ୍ଧେ ।୨। ଗଲା କଥା ଗଲା ଯାହା ଲେଖାଥିଲା ଦଇବର ଅନୁବନ୍ଧେ । ଆସ କୋଳେ ବସ ଗଳେ ବାହୁ କଷ ବଇଷ୍ଣବ ପଦ ଛନ୍ଦେ ।୩।

ରାଜଜେମାର ଗୀତ

[କାହା ଭାବେ ମଜ୍ଜି ଆଜି – ବୃତ୍ତେ]

ପରତେ ନ ଥିଲା ଦାସୀ ମନରେ ଫଡ଼ିବ । ସତେ ପ୍ରାଣପତି ସଙ୍ଗେ ମୋ ଅଙ୍ଗ ଜଡ଼ିବ ।ପଦ। କରତେ ନିରତେ ହୃଦୟକୁ ମାର, ନ ଥିଲା ଜୀବନ ଜିଇ ରହିବାର । ଚିନ୍ତିଥିଲି ଦୁଃଖସ୍ରୋତ ମୋ ନାବ ବୁଡ଼ିବ ।୧। କର ଧରି ମୋତେ ଅନ୍ତର କରିଲ; ଜୟପାଳ ସଙ୍ଗେ ବିହରିଲ । ଅଭାଗିନୀ କାଳେ କାନ୍ତ ବୋଲ ନ ଏଡ଼ିବ ।୨। ରାସରସସୁଖ ସଂସାରର ସାର, ସାର ବେଗେ ତାହା ହେ ରସିକବର । ବଇ ବୋଲେ, ପ୍ରୀତି କୀର୍ତ୍ତି ଜଗତେ ଉଡ଼ିବ ।୩।

ରାଜବାଟୀ ପ୍ରାଚୀର ପାଖେ ଚମାର ପ୍ରବେଶ

[ଆସ ଆସ ବରଜ କାମିନୀ – ବୃତ୍ତେ]

ଲଣ୍ଡଭଣ୍ଡ କରି ଖଣ୍ଡବଚନା ଯା’ ମୋତେ ଭଣ୍ଡି ଦେଲା ରେ । ଚାରିଦଣ୍ଡ ହେବ ବସିଲି ଅନାଇ ଘେନାଇ ଆସିବ କହିଥିଲା ରେ ।ପଦ। ନିଜ ପତି ପ୍ରୀତିରେ ଜଡ଼ି; ମୋତେ ମନୁ ଗଲା କି ହୁଡ଼ି । ପିଇ ତାଡ଼ି ନିଶା ଗାଢ଼ ପ୍ରେମ ଆଶା ଯୋଷାମଣି ଯାହା ଖଣ୍ଡି ଦେଲା ରେ ।୧। ଏ ପିଣ୍ଡାର ପାଚିରି ପାଖ, ଚରଦିନ ଏଠାକୁ ଠିକ । କି କଲା ଚାଣ୍ଡାଳୀ ଅଣ୍ଡାଳି ଅଣ୍ଡାଳି ମଲି ପଟା ଏଥେ କାଣ୍ଡି ଦେଲା ରେ ।୨। (ତେଣେ) ଲୋଡ଼ୁଥି ଭାରିଯା ରାଣ୍ଡୀ, ଚୁଲାପରେ ଚଢ଼ାଇ ହାଣ୍ଡି । କାଣ୍ଡିରୁ ତଣ୍ଡୁଳ ଦେଇ ଆସିଥିଲେ, ବଇ ବୋଲେ, ସେ କି ଭଣ୍ଡୁଥିଲା ରେ ।୩।

ଚମାରୁଣୀର ପ୍ରବେଶ ଓ ଉକ୍ତି- ପ୍ରତ୍ୟକ୍ତି ଗୀତ

[ସାନୁଜ ନନାକୁ ଡାକ – ବୃତ୍ତେ]

ସ୍ତ୍ରୀ

-

ସାପଖିଆ, ବୋପାର ନାଆଁ, ଦିଶିବ ନାହିଁ ତୁ ଏଣିକି ଆ ଆ ।

ପୁ

-

ଚୁପୁ ଚୁପୁ କରି କହ ଲୋ ଛେଉଣ୍ଡି, ୟାଡ଼କୁ ନ ଆସି ସିଆଡ଼ୁ ଯାଆ ।ପଦ।

ସ୍ତ୍ରୀ

-

ବସିଅଛି କାହାର ଆଶେ, ରାଜାଘର ପାଚେରି ପାଶେ ?

ପୁ

-

ମୁଉଁ ଯେବେ କଲି ମୋହର କରମ, ତୁ ଦେଖୁନାହିଁ ତୋହର ରାହା ।୧।

ସ୍ତ୍ରୀ

-

ଛାର ତୁ’ଟା ଚମାର ଜାତି, ହୋଇବୁ ପଡ଼ିଥିବୁ ହୋଇ ଉପରମୁହାଁ ।୨।

ସ୍ତ୍ରୀ

-

ଛୁଆପିଲା ଖାଉଡ଼େ ଦେଇ, ଆସଅଛୁ ନାଗର ହୋଇ ।

ପୁ

-

ସମାଳେ ତାହାଙ୍କୁ, ଦବୁ ତୁ କାହାକୁ, ସେତେବେଳେ ମନେ ନ ଥିଲା ଏହା ।୩।

ସ୍ତ୍ରୀ

-

ଏଠୁ ଗଲେ ଛାଞ୍ଚୁଣୀ ବାଡ଼ି, ପିଠିରେ ତୋ ନାଚିବେ ପଡ଼ି ।

ପୁ

-

ଏ ମଜା କି ଆଉ ମିଳିବ ସେଠାରେ, ପଳା ପଳା ଘରେ, ଭାଷେ ବଇୟା ।୪।

 

 

(ଚମାରୁଣୀ ପ୍ରସ୍ଥାନ)

ଚମାର

-

ଆସିଲା ନାହିଁ କିପାଇଁ ଏତେବେଳଯାଏ ?

ଜେମା

-

(ପ୍ରବେଶି) ଆସିଲିଣି ନାଥ, କିଛି କର ନାହିଁ ଭୟ ।

ଚମା

-

କିପାଇଁ ଚାଣ୍ଡାଳୀ ଏତେ କରୁ ଆଜି ଡେରି ?

 

 

(ପୃଷ୍ଠେ ଲାଠି ପାହାର)

ଜେମାର– ମାର ନାହିଁ ଆଉ ଶୁଣ କାରଣ ତାହାରି ।

[ଆଗୋ ଯମୁନା ଯିବ କେ – ବୃତ୍ତେ]

ପତି ଆସିଛନ୍ତି ବହୁଦିନ ପରେ । ଲୋକ ଅପବାଦେ ଡରିବାରୁ ଏତେ ହେଲା ଡେରି । କୋପ ଆଉ ନ ବହ ମୋ ପରେ ।ପଦ। ଥିଲି ତାଙ୍କ କତି ନିଦ୍ରା ଘୋଟନ୍ତେ ତାହାଙ୍କୁ, ତୁମ୍ଭ ପ୍ରେମ ହେଜି ଆସିଲାଇଁ ତେଜି । ଫିଙ୍ଗନାହିଁ ଜଞ୍ଜାଳ କୂପରେ ।୧। ତୁମ୍ଭ ଆମ୍ଭ ପ୍ରୀତି ରହିଅଛି ଚିରକାଳ; ରହି କିଛି ଦିନ ଯିବେ ସେ ଭବନେ । ମୂରୁଛି କି ରହିବେ ବାପରେ ।୨। ପ୍ରେମ ଜାଣେ ନାହିଁ ଉଚ୍ଚ ନୀଚ ବଡ଼ ସାନ; ତାହା ଅନୁଭବ କରିଛି ଯେ ଲାଭ, ବଇ କହି ଲାଗିଛି ଥୋପରେ ।୩।

(ଚମାରର ଗୀତ)

ପଡ଼ିଲାଣି ଜଣା, ପଡ଼ିଲାଣି ଜଣା । ହୁଡ଼ିଲୁଣି ବାଟ ହୋଇ ବଣା ।ପଦ। ଆସି ନିଜ ପତି, ତୋଷିଲା ତୋ ମତି। ଶୋଷାଇଲା ପ୍ରେମଛଣା ପଣା ।୧। ଆଉ ଠକାଠକି, ନ ହେବ ଏଣିକି । ମଣନା ତୁ ମୋତେ ଦିନକଣା ।୨। ମନରଖା ବାଣୀ, ନ ଶୁଣା ରମଣି ! ନ କରିବୁ ତିଳେ ମନ ଊଣା-।୩। କହୁଛି ଉପାୟେ, ବଇଷ୍ଣବ କହେ । ଯିବ ସବୁ ଭୟେ ଦିଅ ହଣା ।୪।

ଚମାର

-

ଜେମା, ଯେବେ ତୋର ମୋର ପ୍ରୀତି ରହିବ; ତେବେ ଏ କଟୁରି ଧରି ଯା, ତୋର ସ୍ୱାମୀ ବେକରେ ଦେ ଏକ ଚୋଟ, ତହୁଁ ସବୁ ମେଣ୍ଟିଯିବ ପଟାପଟ, ଏ କଟୁରି ମୋର ଗଛକଟା, ମାରିଦେଲେ ଛିଡ଼ିଯିବ ଏକା ବଟା ।

ରାଜଜେମା କଟୁରି ହସ୍ତେ ପ୍ରସ୍ଥାନ – ଜୟପାଳର ଗୀତ

[ସେ ମୋତେ ବରିଛି ପ୍ରାଣଧନ – ବୃତ୍ତେ]

ଅବିଶ୍ୱାସୀ ନାରୀ କୁହନ୍ତି କାହାରି, ଆଜି ଦେଖିଲି ମୁଁ ତାଙ୍କ ରୀତିକି । ନୀଚ ଜାତି ସଙ୍ଗେ ମାତି ରସରଙ୍ଗେ, ନାଶୈବାକୁ ଯାଏ ନିଜ ପତିକି ।ପଦ। କୁଳ–ଧରମ ମରମ ନ ବୁଝିଲା ନ କରିଲା, ତାର ସ୍ଥିର ମତିକି । କରି କି ଦୁଷ୍କୃତ ହରିଛି ସୁକୃତ, ବରୁଛି ତ ନିଜ ଜନ୍ତୁପତିକି ।୧। ସଖା ପ୍ରାଣରକ୍ଷା ଦୀକ୍ଷା ବହି ମନେ, ନ ଭାବିଲା ତିଳେ ଲାଭକ୍ଷତିକି । ଲୁଚଇ କି ପାପ ଯେତେ କଲେ ଗୋପ୍ୟ, କଳା କରିଦିଏ ଧଳା କାନ୍ତିକି ।୨। ବିଳମ୍ୱରେ କାଳ ହେବଟି ବିଫଳ, ପାଞ୍ଚିବାର ବେଳ ନାହିଁ ଏଥିକି । ବଇଷ୍ଣବ କହି, ଆଜିଠାରୁ କେହି ବିଶ୍ୱାସ ନ ଯିବ ପତିଘାତୀକି ।୩। (ପ୍ରସ୍ଥାନ)

(ଜେମା ଜୟନ୍ତ ବେକେ କଟୁରି ଆଘାତ ଓ ପଛରୁ ଜୟପାଳର ପ୍ରବେଶ)

ଜୟପାଳର

-

ଓଃ. କି କଲା ପାପିଷ୍ଠା ରମଣୀ,

 

 

ଆସୁ ଆସୁ ପକାଇଲା ହାଣି;

 

 

ନ ପାରିଲି ରକ୍ଷାକରି ସଖାପ୍ରାଣ ମୋର ।

 

 

ପ୍ରାଣପକ୍ଷୀ, ସଖା ସଙ୍ଗେ ତେଜି ଯା’ରେ ଏ ଦେହପଞ୍ଜର ।

ଜେମା

-

(ହଠାତ୍‌) କେ ଅଛ ହେ, ବେଗେ ରକ୍ଷାକର

 

 

କାହୁଁ ଆସି ଖଣ୍ଟ ପାମର,

 

 

କାଟିଦେଲା ମୋର ପତି ଶିର ।

ଦୂତ ଦେଖି ଯୁବରାଜଙ୍କୁ ଜଣାଇବା ଗୀତ

[କଂସ ଆଜ୍ଞାରେ ଡଗର – ବୃତ୍ତେ]

ଧାଇଁଆସ ଯୁବରାଜ, ହୋଇଛି ଆଶ୍ଚର୍ଯ୍ୟ କାର୍ଯ୍ୟ, ଜେମାବାସେ ପଶି ଏକ ଖଣ୍ଟ । ଜେମା ଛାଡ଼ୁଅଛି ହୁରି, ଧରି ତା କରେ କଟୁରି; ଜୋଇଁ ବେକେ ମାରିଦେଲା ଚୋଟ ।୧। ରକତେ ଜର୍ଜର ଘର, ମୁଣ୍ଠଗଣ୍ଡି ଦୁଇଧାର, ନାଛଇ କବନ୍ଧ ବନ୍ଧ ତଳେ । ପତିଶାସ୍ତି ନେତ୍ରେ ଦେଖି ଧଇର୍ଯ୍ୟ ନ ପାରି ରଖି ଜୀବନ ତେଜିବ ଜେମା ବଳେ ।୨। ଦେଖୁ ଦେଖୁ କେତେ ସୁଖ ସାରିଲା ଖଣ୍ଟ, ମୂରୁଖ ଅଯଶ ଘୋଷିବ ଦେଶେ ଦେଶେ । ଜେମାମଣି ହେବେ ରାଣ୍ଡ କାଳକ କୋଡ଼ିବେ ମୁଣ୍ଡ, ବିପ୍ର ବଇଷ୍ଣବ ରସେ ଭାଳେ ।୩।

 

 

ଯୁବରାଜ ଜେମାପାଶେ ପ୍ରବେଶ – ଗୀତ

[ଖେଳନ୍ତି ଯମୁନା କୂଳେ – ବୃତ୍ତେ]

ପାଜିର ଏତେ ସାହାସ, କଲା ନାଶ ।ପଦ। ଚିତ୍ତରୁ ଦକା ଛାଡ଼ି ପକୟା ହାତେ ବେଢି, ହିତ ନ ବୁଝିଲା ଲେଶ ।୧। ପଶିଛି ଜେମା ଆଳେ, କ୍ଷମା ନାହିଁ କପାଳେ, କଲା ଅସୁମାର ଦୋଷ ।୨। ବରି ମଣିଛି ଯେଣୁ, ସରିବି ଲାଜେ ତେଣୁ । ମରଣୁ ବଳିଲା କ୍ଳେଶ । ପରାଣଦଣ୍ଡ ଲାଭ; କାରଣ ୟାର ହେବ; ବୈଷ୍ଣବ ଚରଣ ଭାଷ ।୪।

ଜୟପାଳ ଯୁବରାଜ ପ୍ରତି –ଗୀତ

[ଦଇବରେ ଏଡ଼େ ଦାରୁଣ – ବୃତ୍ତେ]

ଯୁବରାଜ, ବାରେ ରଖ ମୋ ଅରଜ । ପରାଣଦଣ୍ଡ କାରଣେ ହୋଇଛି ମୁଁ ସଜ ।ପଦ। ଦୋଷୀକୁ ଦଣ୍ଡ ବିଚାର, ଜେମାଙ୍କୁ ତବ ପଚାର । ସତ ବ୍ୟକ୍ତ କରନ୍ତୁ ସେ ତେଜି ମନୁ ଲାଜ ।୧। ନୀଚ ଚମାର ସହିତ, ତା ପ୍ରେମେ ହୋଇ ମୋହିତ । ସେ ଯୋଗେ ନାଶିଲେ ପ୍ରାଣ ମୋ ମିତ୍ରରେ ଆଜ ।୨। ଦେବି ପ୍ରମାଣ ଏହାର, କନ୍ୟାର ପୃଷ୍ଠେ ପ୍ରହାର । ଚିହ୍ନ ରହିଥିବ ଝୀନବସନ ବରଜ ।୩। ସେ ପାମର ଗଛକଟା, ଅସ୍ତ୍ର ଅଟେ ଏହି ଗୋଟା । ସନ୍ଦେହ ତୁଟାଇ ମୋତେ ଦିଅନ୍ତୁ ଖାରଜ ।୪। ସଖା ପ୍ରାଣ ରକ୍ଷା ଆଶେ, ପଶିଲି ଆସି ଏ ବାସେ । ରଖି ନ ପାରିଲି ଭାଷେ ବଇଷ୍ଣବ ଦ୍ୱିଜ ।୫।

ଜୟପାଳ

-

ଯୁବରାଜ ! ମୋର ନାମ ଜୟପାଳ, ଏହାଙ୍କ ଦୁଃଖେ ମୋର ଆଜି ଏ ସନ୍ନ୍ୟାସ ବେଶ । ଚମାର ସହିତ ଜେମାର ଗୁପ୍ତମନ୍ତ୍ରଣା ମୁଁ ଗୋପନରେ ରହି ସମସ୍ତ ଶୁଣିଛି, କଣ କରିବି, ଦୁର୍ଭାଗ୍ୟବଶରୁ ମିତ୍ରର ପ୍ରାଣ ରଖି ପାରିଲି ନାହିଁ । ହା ମିତ୍ର ଜୟନ୍ତ, ମୋତେ ଆଜି ଅନନ୍ତ କଷଣରେ ଫିଙ୍ଗି ତୁମ୍ଭେ ଶାନ୍ତିଧାମକୁ ଚାଲିଗଲ । ଯୁବରାଜ ! ଯେ ଯେ ସଙ୍କେତ କହିଲି, ତାହା ଛାମୁ ସ୍ୱଚକ୍ଷୁରେ ଦେଖନ୍ତୁ । ଆପଣଙ୍କ ପ୍ରାଚୀର ପାଖରେ ଏ ଘଟଣା; ଚମାର ସେଠାରେ ଏ ପର୍ଯ୍ୟନ୍ତ ରହିଛି । ମିତ୍ରର ମଧୁର ଭାଷ ଶୁଣିବାକୁ ମୁଁ ଗୋପନରେ ବସିଥିଲି, ଜାଣିପାରୁଛି ସେ ନୃଶଂସ ସହିତ ଆଗରୁ ଜେମାର ପାପପ୍ରଣୟ ଥିଲା । ମୋର ପ୍ରମାଣ ଗ୍ରହଣକରି କ୍ଷମା ଦେବାର ବିହିତ ହୁକୁମ ସାଦର ହେଉ ।

ଯୁବରାଜ ସମସ୍ତ ନିଦର୍ଶନ ଦେଖି – ଗୀତ

[ମୋତେ କାହିଁକି ଡକରା ହେଲା – ବୃତ୍ତେ]

ଦୂତ ବେଗେ ଯା ଜେମାକୁ କର ସୀମା ପାରି । କ୍ଷମା ନ ପାଇବ ତିଳେ ଏ ପାମରୀ ।ପଦ। ନାଶିଲା ଯେ ନିଜ ପତି, ନୀଚ ଜନ ସ୍ନେହେ ମାତି । ଆଉ କେଉଁ କଥା ନ ପାରିବ କରି ।୧। ଚମାରକୁ ଧରି ଶୂଳି, ଦିଅ ଦୂତଗଣେ ମିଳି, କଳଙ୍କ କଳା ଏ ଆମ୍ଭ ରାଜପୁରୀ ।୨। ଜୟପାଳ ଦିଅ ଛାଡ଼ି, ଏ ଦୋଷରେ ନାହିଁ ପଡ଼ି । ପୋଡ଼ିବା ଏ ଶବ ଚାଲ ସର୍ବେ ଘେରି । ଆଗରୁ ଏହାକୁ କାଢ଼, ଚଢ଼ାଅ ବିବିଧ ମାଡ଼ । ବଇଷ୍ଣବ ଯୋଡ଼େ ପଦ ଚିନ୍ତି ହରି ।୪।

ଜୟପାଳ ସଂସ୍କାର ସ୍ଥାନେ ପ୍ରବେଶ – ଗୀତ

[ବହୁଦିନ ପରେ ପାଇଛି ହେ ଦେଖା – ବୃତ୍ତେ]

ଆହା ପ୍ରାଣସଖା ଭାଲେ ଥିଲା ଲେଖା ବିଦେଶ ଜେଜିଲ ଅଙ୍ଗ ହେ । ବିନା ଦୋଷେ ମୋତେ ଦୋଷୀ ଅଛ ଯେତେ ନାଶିଲ କେମନ୍ତ ସଙ୍ଗ ହେ ।ପଦ। ଯେବଣ ତନୁରେ ଭାନୁର କିରଣ ଲାଗନ୍ତେ ଦିଶେ ବିଭଙ୍ଗ ହେ । ଆଜି ସେ ଅଙ୍ଗାର ଭସ୍ମ ହୋଇଅଛି ହୁଡ଼ି ପୂର୍ବ ଅନୁରାଗ ହେ ।୧। ଲୋଡ଼ିଣ ପାଇଲି ହାଡ଼ ଚାରିଖଣ୍ଡ ଗୋଟାଇ ରଖିବି ଆଗ ହେ । ମାଳା ପରି ଗଳେ ଲମ୍ବାଇ ବୁଲିବି ତୁଟାଇ ହୃଦୟାବେଗ ହେ । ଏ ଚିତା ବିଭୂତି ଦେହେ ବୋଳି, ହଟାଇବି ବିଚ୍ଛେଦ ତରଙ୍ଗ ହେ। ବଇଷ୍ଣବ ଭାଷ, ତେଜିଲି ଏ ଦେଶ ଘୋଟିବାରୁ ବନ୍ଧ ରୋଗ ହେ ।୩।

ଜୟପାଳ

-

(ସ୍ୱଗତ) ଦେଖେ, ମୋର ସ୍ତ୍ରୀ ଅନେକ ଦିବସ ହେବ ତାର ପିତାଗୃହେ ରହିଛି । ଏହି ତ ଶେଷ ପରୀକ୍ଷା, ଏଇ ଯେ ମୋର ଶ୍ୱଶୁରାଳୟ । ଶରୀର ପତନ ଅବା ମନ୍ତ୍ରର ସାଧନ ଏହିଠାରୁ ଜଣାଯିବ ।

ଜୟପାଳ ସ୍ତ୍ରୀ ପାଶେ ପ୍ରବେଶ – ଜେମାର ଗୀତ

ନାଥ ଏତିକି ମାଗୁଣି ମୋହର – ବୃତ୍ତେ

ପତି ଯତିବେଶ କହ କାହିଁକି, କାହାନ୍ତି ତୁମ୍ଭର ମଇତ୍ର ଜୟନ୍ତ ସଙ୍ଗେ ସେ କି ଆସିନାହିଁ କି ।ପଦ। ଆଲୋକିତ ପରା ଯାଉଅଛି ଜଣା, ପଥେ ଆସୁ ଆସୁ ହୋଇଲ କି ବଣା । ଊଣା ହୋଇଛି କି ମନର ସରାଗ କହ ତା ପରାଣସହୀ କି ।୧। ବାର ବରଷରେ ମନେପଡ଼ିଲା, ବାଟୁ ପଡ଼ିବା କଣ୍ଟା କେ କାଢ଼ିଲ । ବଢ଼େ ବେଳୁଁ ବେଳ; ଚିନ୍ତା-ନଦୀ ଜଳ ବୁଡ଼ାଇବ ସୁଖ-ମହୀ କି ।୨। ଫେଇ ଭାଷ ମୋତେ ହୃଦୟ ଭାବ, ଜୀବଧବେ ଚାହିଁ ଯାଉ ଏ ଜୀବ, ଜୀବଧନ ବାସେ ଚଳିବି ହରଷେ ତାର ଦ୍ୱିଜ ବଇକି ।୩।

[କହ କହ ବନଲତା – ବୃତ୍ତେ]

ସହି, ନ ସହିବ ମହୀ କହିବି ଯେବେ ସେ କଥା । ଛଡ଼ାଇ ନେଇଛି ବିହି ମିତ୍ରକୁ ମୋ ମନ୍ତ୍ରିସୁତା ।ପଦ। କାଟି ମମ ପ୍ରେମଡୋରେ; ରସିଲେ ଶ୍ୱଶୁରପୁରେ । ଛୁଟିଗଲା ପ୍ରାଣ ତହୁଁ ଦେଇ ଗଲେ ଘୋର ଚିନ୍ତା ।୧। ରାଜଜେମା କଲା ନାଶ; ପୂରାଇବ ବୋଲି ଆଶ । ସେ ଦୋଷେ ଛାଡ଼ିଲା ଦେଶ ଦୂରକଲା ତାର ଭ୍ରାତା ।୨। ସଖା ସନ୍ତାପେ ସନ୍ନ୍ୟାସୀ ସାଜିଛି ରେ ଶଶୀହାସି ! ବିପ୍ର ବଇଷ୍ଣବ ଭାଷି, ଲେଶ ନାହିଁ ଏଥି ମିଥ୍ୟା ।୩।

 

ମନ୍ତ୍ରୀଝିଅ

-

ଭୋଜନ କାର୍ଯ୍ୟ ସାରି ନିଦ୍ରାପଲଙ୍କେ ନିଦ୍ରା ଯାଅ । ପଥଶ୍ରାନ୍ତ ହୋଇଛ; ଆଉ ଭାବିଲେ ସଖା କି ଫେରିବେ ?

ଜୟପାଳ

-

ପ୍ରିୟେ, ତୁମ୍ଭେ କାର୍ଯ୍ୟ ସାରି ଶୟନ କର; ମୋର ଆଜି ଉପବାସ; ମୋତେ ନିଦ୍ରା ଢାଙ୍କିଲାଣି ।

 

 

(ଉଭୟଙ୍କର ଶୟନ, କିଛିକ୍ଷଣପରେ)

ମନ୍ତ୍ରୀଝିଅ

-

ଆଜି ଦେବୀ ଦୁର୍ଗତିନାଶିନୀ ଦୁର୍ଗାଙ୍କର କଥା ସଫଳ ହୋଇଛି । ସେ ମୋତେ କହିଥିଲେ ବାରବରଷରେ ସ୍ୱାମୀସୁଖ ପାଇବୁ । ପତିଙ୍କୁ ଅତି ଶୀଘ୍ର ନିଦ୍ରା ହୋଇଗଲା, ଏତିକିବେଳେ ଦେବୀଦର୍ଶନରୁ ଯାଇ ଫେରିଆସେ ।

ମନ୍ତ୍ରୀଜେମା ଦୁର୍ଗାଳୟେ ପ୍ରବେଶ – ସ୍ତବ

[ଶାରଦେ ସିଂହବାହିନୀ – ବୃତ୍ତେ]

ଭକ୍ତ ଆରତଖଣ୍ଡିକେ ମା ଚଣ୍ଡିକେ ।ପଦ। ପ୍ରଚଣ୍ଡ ମାର୍ତ୍ତଣ୍ଡ ଜିଣି, ଶୋଭା ତୋର ନେତ୍ର ବେନି, ରକ୍ତସିନ୍ଦୂରମଣ୍ଡିକେ ।୧। ଚଣ୍ଡମୁଣ୍ଡସଂହାରିଣୀ, ହର-ହୃଦୟହାରିଣୀ, ଦୁଷ୍ଟ ଦାନବଦଣ୍ଡିକେ ।୨। ଲିପ୍ତ ଚାମଣ୍ଡାଗଣେ, ମୁକ୍ତ ତୋ ଅନୁକ୍ଷଣେ, ତୃପ୍ତ ଛାଗଳ-ଗଣ୍ଡିକେ ।୩। ବଇଷ୍ଣବ ବଇରୀ, ବିନାଶ ଖଡ୍ଗ ଧରି, ମହିଷାସୁରଭଣ୍ଡିକେ ।୪।

ମନ୍ତ୍ରୀଝିଅ

-

ମାଭୈ ଭୀମକେଶା, ଅପରାଧ କନ୍ୟାର

 

 

କ୍ଷମାକରମା’ ! ଏହି ଅଭାଗିନୀର ରସ ରେ ଭରସା

 

 

କେବଳ ତୋର ପଦ । ପଳାଉ ମୋ ସମସ୍ତ ଆପଦ ।

ଦୁର୍ଗାଙ୍କର ଉତ୍ତର – ଗୀତ

[ମେଲାଣି କରରେ ନନ୍ଦ ଆନନ୍ଦରେ ବୃତ୍ତେ]

ଯାଅ ରେ ନାଗରୀଗୋରୀ ପୂରିଛି ପୂର୍ବ-କାମନା । ସ୍ୱାମୀ ସଙ୍ଗେ ରଙ୍ଗେ କାଳ କାଟ ରେ ଗଜଗମନା ।ପଦ। ବରବରନା ହରଷେ, ପାଇଲୁ ବାରବରଷେ, ହାର ପରକାର ଗଳେ ଭରି ଥିବୁ ରେ ସୁମନା ।୧। ବାମା ଘେନ ଏହି ବର, ତୋହର ଯେ ବାମକର । କାଣୀ ଅଙ୍ଗୁଷ୍ଠିରେ ସୁଧା ରହିଲା ନୁହ ବିମନ ।୨। ମରିଥିବା ଜୀବ ଅଙ୍ଗେ, ବାଜିଯିବ ଯେବେ ବେଗେ । ବଞ୍ଚିବ ସେ ସଙ୍ଗେ ସଙ୍ଗେ ନ ମାନିବ ବିହି ମନା ।୩। ନ ବାଧିବ ଭୋଜ ଶୋଷ, ଯା ଯା ଜେମା ପତି ପାଶ, ବିପ୍ର ବଇଷ୍ଣବ ଭାଷ, ଅସତ ପଥ ଗମ ନା ।୪।

ମନ୍ତ୍ରୀଜେମା ପତିପାଶେ ପ୍ରବେଶ । ଜୟପାଳ ନିଦ୍ରା ନାଶ – ଗୀତ

[କେଡ଼େ ଗେଲେ ଗେଲେ ଝୁଲେ ଫୁଲ – ବୃତ୍ତେ]

ମଠା କଥାରେ ମୋହି ଏ ଖଟେ ଯାଉଛୁ ଶୋଇ । ହଟକରି ଶଠ, ପ୍ରେମେ ଦୁଷ୍ଟ ହେଲୁ ରେ ବାଇ ।ପଦ। ତୁମ୍ଭ ନାରୀଜାତିଟା, ଏଡ଼େ ପତିଘାତିଟା, ଖଟା କରିପାର ଘଣ୍ଟାକରେ ସମସ୍ତ ମହୀ ।୧। ମୁଠା ଭିତରେ ଭରି, ଜୀବ ନେବ ଓଟାରି, ବାକ୍ୟକଟାଉରେ ଭଣି କୀଟ କଣ୍ଟକ ହୋଇ ।୨। ପଟାପଟି ନ କର, ହଟା ସଂଶୟ ମୋର, ଅଙ୍ଗ ଭାବନା ଭାବନା ରସେ ଭାଷଇ ବଇ ।୩।

 

 

ଜେମାର ଜୟପାଳ ପ୍ରତି ଗୀତ

[ବ୍ରଜରାଜ ସୁତ ଫାନ୍ଦେ ପଡ଼ି ମିତ – ବୃତ୍ତେ]

କହୁଅଛି ସତ, ଯାଇଥିଲି ମୁଁ ତ, ମହାମାୟୀ ଦରଶନକୁ । ଜାୟା ମୁଁ ତୁମ୍ଭର, କାୟା ତୁମ୍ଭେ ମୋର; ତେଜି କି ଭଜିବି ଆନକୁ ।ପଦ। ଯାଏ ନିତିଦିନ ସେବି ଶିବାକୁ, ତୁମ୍ଭ ଆଶେ ଦେଇ ରଙ୍ଗ ଜବାକୁ । ବର ଦେଇଛନ୍ତି ମହିଷନାଶିନୀ ଭେଟିବୁ ପତିରତନକୁ ।୧। ତାଙ୍କ ବର ଆଜି ସଫଳ ହେଲା; ବାରବରଷରେ ଫଳ ଫଳିଲା । କରିଛି ନିୟମ ନୁହ ଆଉ ବାମ; ପଦେ ସ୍ଥାନ ଦିଅ ଦୀନାକୁ-।୨। ମୁହିଁ ପିଣ୍ଡ ତୁମ୍ଭେ ଅଟ ପରାଣ, ବରଣ କରୁଛି ପଶି ଶରଣ । ଏ ଚରଣ ଛଡ଼ା ଆନେ ନାହିଁ ମତି ଚାତକୀ ତେଜେ କି ଘନକୁ ।୩। ନୟନରେ ନିଦ୍ରା ଘୋଟିଲା ମୋର, ଶୟନ କରିବା ହେ ଜୀବେଶ୍ୱର ! ବଇଷ୍ଣବ ଗିର ତବ ମନ୍ତ୍ର ପରି ଜପେ ସଦା ମନକୁ ।୪।

ମନ୍ତ୍ରୀଝିଅ

-

ଆହାଜୀବେଶ୍ୱରଙ୍କର ନେତ୍ରେ ପୁଣି ନିଦ୍ରା ଢାଙ୍କିଲାଣି;

 

 

ଦେଖେଁ, ଏ ଝୁଲାରେ କି କି ପଦାର୍ଥମାନ ରଖିଛନ୍ତି ।

 

 

(ଝୁଲାଖୋଲନ୍ତେ ଏକ ପୁରୁଷ ଉତ୍ପତ୍ତି)

 

ଦେଖୁ ଦେଖୁ ଅସ୍ଥି ଚାରିଖଣ୍ଡ ଗୋଟିଏ ସୁନ୍ଦର ପୁରୁଷ ହୋଇଗଲା ! ଏ ବଡ଼ ଆଶ୍ଚର୍ଯ୍ୟ !

ଜୀବନ୍ତେ ଜୟନ୍ତର ଗୀତ

[କି କହିବି ପୂତନା ମୋ – ବୃତ୍ତେ]

ଆଲୋ ଲୋ ଦୁଷ୍ଟା ପାପିଷ୍ଠ, ଏ କି ନିଷ୍ଠା ତୋର ଲୋ । ମୋତେ ଶୁଆଇ ଦେଖାଉ ଏତେ ଶିଷ୍ଟାଚାର ଲୋ ।୧। ପ୍ରେମଲୋଭେ ଉପପତି ଆଣି ରଖୁ ପାଶ ଲୋ । ଭୂପତି ଘରଣୀ ହୋଇ ଲୋଡ଼ୁ ପ୍ରାଣନାଶ ଲୋ ।୨। ବିପଟ ପୁରୁଷେ ଦେଖ ଛଟକେ ବଧିବି ଲୋ । ତାହା ପରେ ତୋରଠାରୁ ଏ ୠଣ ସାଧିବି ଲୋ ।୩। ନାଟ ଛିଡ଼ିବଟି କଣ୍ଟା ପୁଥୁଁ ଦେଲେ କାଢି ଲୋ । ଦୀନହୀନ ବଇଷ୍ଣବ ଭାଷେ ପଦ ଯୋଡ଼ି ଲୋ ।୪।

ଜୟପାଳର ଶିରଚ୍ଛେଦନ

ମନ୍ତ୍ରୀଝିଅ

-

ଆହା, କି କଲ କି କଲ ରାଜସୁତ, କେମନ୍ତ ବଳିଳା ମିତ୍ରେ ନାଶିବାକୁ ଚିତ୍ତ ? କି ମାୟାମୋହରେ ପଡ଼ି ହୋଇଲ ଅଚେତ !

ମନ୍ତ୍ରୀଝିଅର ଗୀତ

[ଧୂଳିରେ ଶୋଇଛୁ – ବୃତ୍ତେ]

ରାଜସୁତ ହୋଇ ଏଡ଼େ ନିଷ୍ଠୁର ଭାବ ହେ । ବିନା ଦୋଷେ ସଖା ସଙ୍ଗେ କଲ ଅଭାବ ହେ ।ପଦ। ପଡ଼ି ବେଶ୍ୟା କଉଶଳେ, ତଡ଼ିଦେଲେ ପାଶୁ ବଳେ, ହୁଡ଼ି ହୃଦୟରୁ ସେହି ପୂର୍ବ ସ୍ୱଭାବ ହେ ।୧। ବ୍ୟଭିଚାରୀ ନାରୀ ସଙ୍ଗେ. ଶ୍ୱଶୁର-ବାସରେ ରଙ୍ଗେ ମଜ୍ଜି ନିଜ ହସ୍ତେ ତେଜିଲ ଜୀବ ହେ-।୨। ତୁମ୍ଭ ଦୁଃଖେ ତୁମ୍ଭ ସଖା, ମାଗିଲେ ବୁଲିଣ ଭିକ୍ଷା; ପ୍ରବେଶିଲେ ଆସି ଶେଷେ ମୋହ ଠାବ ହେ-।୩। ତୁମ୍ଭ ଅସ୍ଥି ଥିଲେ ଆଣି, ମୋ ହସ୍ତ ଲାଗିଲାକ୍ଷଣି, ଲଭିଲ ଜୀବନ, ରସେ ଭାଷେ ବଇଷ୍ଣବ ହେ ।୪।

ମନ୍ତ୍ରୀଝିଅ

-

ରାଜପୁତ୍ର, ଏ ତୁମ୍ଭର ଘର ନୁହେଁ, ବା ତୁମ୍ଭ ଶ୍ୱଶୁରଘର ନୁହେଁ । ଭାବି ଦେଖ, ସତ୍ୟ କି ମିଥ୍ୟା ? ତୁମ୍ଭ ସଖାକୁ ସିନା ବିନା ଦୋଷରେ ବଧକଲ, ତୁମ୍ଭ ହେତୁ ମୋର ପତି ଭିକାରି; ମୁଁ ଆଜି ବିଧବା ହେଲି । ଉପକାରୀର ଅପକାର ଏବେ ସ୍ୱଚକ୍ଷୁରେ ଦେଖିଲି ।

ରାଜପୁତ୍ରର ଗୀତ

[ହେଲେଟି ମେଲାଟି ଧନ – ବୃତ୍ତେ]

ତେଜ ରୋଷ କ୍ଷମାକର ଦୋଷ ମୋର ଜେମାମଣି ! ଅରଜି ଅଛି ଅକୀର୍ତ୍ତି ପ୍ରାଣସଖା ଶିର ହାଣି ।ପଦ। ଯାଇଥିଲା ପାପ ଘଟ, ଲେଉଟି ସାଧିଲା ହଟ, ଘେନିଯାଅ ମିତ୍ର ମୋତେ ତୁମ୍ଭ ଯିବା ପଥେ ଟାଣି ।୧। ମୁଖ ଦେଖାଇବି କାହିଁ, ଦୁଃଖ ଦେଲେ ମନ୍ଦ ବିହି, ସୁଖ ମୋ କରମେ ନାହିଁ ନ ସରିବ ଦିନ ଗଣି ।୨। ଧନ୍ୟ ଲୋ ମନ୍ତ୍ରୀ-ନନ୍ଦିନୀ, ନାରୀ-ମୁକୂଟ-ବନ୍ଦିନୀ । ଯଶ ରଖିଲୁ ମେଦିନୀ ସତୀତ୍ୱ ରତନେ କିଣି ।୩। ଭଣେ ବଇଷ୍ଣବ ଦ୍ୱିଜ, ଏ ଜୀବନେ କିସ କାର୍ଯ୍ୟ; ମରଣକୁ ହେଲି ସଜ, ମେଲାଣି ଦିଅ ରମଣୀ ।୪।

ରାଜପୁତ୍ର ଶିରଛେଦ ନିମନ୍ତେ ଖଡ୍ଗ ଧାରଣ

ଜୟନ୍ତ

-

ଶୁଣିଥାଅ ଦଶଦିଗପାଳେ;

 

 

ଶଣିଥାଅ ଭୂଚର ଖେଚର;

 

 

ସାକ୍ଷୀ ଥାଅ ଗିରି ନଦୀ ବୃକ୍ଷ ଗୁଳ୍ମଲତା;

 

 

ମିତ୍ରସ୍ନେହେ ମଜ୍ଜି ଆଜି ତେଜିଲି ଜୀବନ,

 

 

ଦେଖିଲି ତ, ଶିଖ ଏବେ ମିତ୍ରପ୍ରେମ କେମନ୍ତ ବନ୍ଧନ ।

ଅସ୍ତ୍ର ଗଳେ ଲଗାଇବା କାଳେ ଜେମା ହସ୍ତ ଧରିନେଇ ଗୀତ

[ଯମୁନାକୁ ଜଳ ଆଣି – ବୃତ୍ତେ]

ନ କର ହେ ଚିନ୍ତା କ୍ଷିତିପତିସୁତ ଚିତ୍ତେ କିଛି । ପାଞ୍ଚିଛି ଯା ମନେ ସଖା ବସିବେ ଏକ୍ଷଣେ ବଞ୍ଚି ।ପଦ। ପଳାଇବ ଦୁଃଖ ନିଶା, ଉଦେ ହେଲେ ସୁଖ-ଉଷା, ଡାକୁଛି ଆଶା କୁକ୍‌କୁଟ ଆନନ୍ଦ ହୃଦୟେ ନାଚି ।୧। ପୂରୁବ ଗଗନେ ଭାନୂ, ଦେଖାଇବ ନିଜ ତନୂ; ଏହିକ୍ଷଣ ଦେବ ତାର ସରାଗ କିରଣ ବିଞ୍ଚି ।୨। ଭବାନୀଙ୍କ ବର ସତ ହେବ ନ ହେବ ବିଅର୍ଥ; ସତ୍ୟ ମିଥ୍ୟାର ପ୍ରମାଣ ତୁମ୍ଭଠାରୁ ମିଳିଅଛି । ୩ । ସଙ୍ଗେ ସଖା ଯିବେ ବାସେ, ବିପ୍ର ବଇଷ୍ଣବ ଭାଷେ, ଅମୃତ-ଅଙ୍ଗୁଷ୍ଠି ମୋର ବର ଘଟେ ଲଗାଉଛି ।୪।

ଜେମା କର ଲାଗି ମନ୍ତ୍ରୀ – ପୁତ୍ରର ଜୀବନଲାଭ ଓ ଜୟନ୍ତ ଜୟପାଳର ଆଳାପ ଗୀତ

[ଆଇରେ କହ୍ନାଇ ଆଇ – ବୃତ୍ତେ]

ଆସ ଆସ ମିତ୍ର ମୋର, ଏ ଗାତ୍ର ପବିତ୍ର କର । ଏ ବିଚିତ୍ର ଲୀଳା ବିଧାତାର ଖେଳା ବୁଝିବ ଶକତି କା’ର ।ପଦ। ଧନ୍ୟ ତୁମ୍ଭର ରମଣୀ, ସେ ତ ରମଣୀ ମୁକଟମଣି । ଆଣିଦେଲେ ଯାହା ହରାଇବା ଧନ ହରଷେ ଲଗାଇ କର ।୧। ପବିତ୍ରତା ବ୍ରତ ସାଧି, ତୁଟାଇଲେ ମାହବ୍ୟାଧି । ବଧିବା ଜୀବନ କରିଲେ ଯେ ଦାନ, କରି ନ ପାରେ ଶଙ୍କର ।୨। କୁଳଟା ରମଣୀ ଯେହି, କୁଳକୁ କଳଙ୍କ ସେହି, ସଳଖଇ ନାହିଁ କାଳକ କପାଳ ବିଧବା ଭାଗ୍ୟେ ନିକର ।୩। ଦେଖି ଶିଖ ନାରୀଗଣ, ଧରି ପତିଭକ୍ତିପଣ । ଜିଣ ଯମଦଣ୍ଡ, ବଇଷ୍ଣବ ଭାଣ୍ଡ ତବ ଚରଣେ କିଙ୍କର ।୪।

ଜୟପାଳର ଗୀତ

[ଦିଅ ଦିଅ ବାହୁକ ହେ ଦିଅ – ବୃତ୍ତେ]

ମହାଶିକ୍ଷା ଲାଭ ହେଲା ସଖା ରାଜ୍ୟେ ଚାଲ ଯିବ । ନିଜ ଭାଗ୍ୟବୃକ୍ଷ ଫଳ ଆନ କେ କହ ଭୁଞ୍ଜିବ ।ପଦ। ଯାହା ଥିଲା ବିଧିଲେଖା; ତାହା ନେତ୍ରେ ଦେଲା ଦେଖା; ସଳଖକୁ କରେ ବଙ୍କା ଏକା ସେ ପଙ୍କଜଭବ । ଚନ୍ଦ୍ରରେ କଳଙ୍କ କଲି, ସେହି ବିହି ଅଛି ବୋଲି, କର୍ମ ପାଦପରୁ ଫୁଲ ତୋଳିବା ଅଟେ ଦୁର୍ଲୁଭ ।୨। ନଳକୁ ଛଳିଲା କଳି, ରକ୍ଷ ନେଲା ଗ୍ରାମବାଳୀ, ଗୋପାଳ ଉଚ୍ଛିଷ୍ଟ କୋଳି ଖାଇଛନ୍ତି ବାସୁଦେବ ।୩। ସତ୍ୟେ ଥିଲେ ରଖି ମତି; ଶେଷେ ମିଳିବ ସୁଗତି । ଦ୍ୱିଜ ବଇଷ୍ଣବ ଚିତ୍ତେ ଚିନ୍ତେ ନିତି ଶିବ ଶିବ।

(ଜୟନ୍ତ, ଜୟପାଳ ଓ ମନ୍ତ୍ରୀଜେମା ସହ ନିଜ ରାଜ୍ୟକୁ ପ୍ରସ୍ଥାନ)

[ଯବନିକା ପତନ]

Image